କୁମାର ପୂର୍ଣ୍ଣିମା ଦିନକୁ ଲକ୍ଷ୍ମୀଙ୍କର ଜନ୍ମଦିନ ରୂପେ ମଧ୍ୟ ପାଳନ କରାଯାଏ।
ନିମାପଡ଼ା (ଆଜି ପର୍ଯ୍ୟନ୍ତ ନିୟୁଜ)ସର୍ବଗୁଣସମ୍ପନ୍ନ ଜୀବନସାଥୀ ପାଇବାକୁ କୁମାରୀ କରନ୍ତି ଚନ୍ଦ୍ରପୂଜା। ସୁନ୍ଦର ବର ପାଇବା ଉଦ୍ଦେଶ୍ୟରେ କାର୍ତ୍ତିକେୟଙ୍କୁ ଆରାଧନା କରିବା ସହ ଚନ୍ଦ୍ର ପୂଜା କରାଯାଇଥାଏ। ଏହି ପୂଜାରେ ଜହ୍ନ ଆସିଲେ ତାକୁ ଦେଖି ଚାନ୍ଦ ପୂଜା ହୁଏ। କାରଣ ଏମିତି କଲେ ଚାନ୍ଦ ପରି ବର ମିଳେ। କୁମାରୀମାନେ ଭୋର୍ରୁ ଉଠି ଗାଧୋଇ ନୂତନ ବସ୍ତ୍ର ପରିଧାନ କରିଥାନ୍ତି। ଏହାପରେ ସେମାନେ ବୃନ୍ଦାବତୀଙ୍କ ପାଖରେ ଆଞ୍ଜୁଳାରେ ସାତ ପ୍ରକାରର ଫଳ ନେଇ ସୂର୍ୟ୍ୟଙ୍କ ଉଦ୍ଦେଶ୍ୟରେ ଅର୍ପଣ କରିଥାନ୍ତି। ଏହାକୁ ଆଞ୍ଜୁଳା ଟେକା କୁହାଯାଏ। ଚଉରା ମୂଳ ଲିପାଲିପି କରି ମୁରୁଜ ପକାଇ ପୂଜା କରନ୍ତି। ଖଇ, ଗୁଆ, କଦଳୀ, ନଡ଼ିଆ, କଷି କାକୁଡ଼ି, କଷି ଜହ୍ନି ଓ ଆଖୁ ଆଦି ଫଳ ପୂଜା କରନ୍ତି। ସୂର୍ୟ୍ୟ ଦେବତାଙ୍କୁ ଚାହିଁ ଏହାକୁ ଆଞ୍ଜୁଳା ଟେକନ୍ତି।ସନ୍ଧ୍ୟାରେ କୁମାରୀମାନେ ଚଉରା ମୂଳେ ଏକତ୍ର ହୋଇ ଚାନ୍ଦ ପୂଜା କରନ୍ତି। ତୁଳସୀ ଗଛରେ ନାଲି ଶଙ୍ଖା ଓ ସାଲୁ କନା ସହ ନୂଆ ବସ୍ତ୍ରଟିଏ ମଧ୍ୟ ଦିଆଯାଇଥାଏ। ଚଉରା ଆଗରେ ପିଢ଼ାରେ ଗୁଆ ରଖି ତା’ ଉପରେ ଦୁବ ଘାସ, ଫୁଲ, ବରକୋଳି ପତ୍ର ଦେଇ ସଜାଯାଇଥାଏ। ଭୋଗ ପାଇଁ ଖଇ, ନଡ଼ିଆ, କଦଳୀ, ଛେନା, ଦହି, କ୍ଷୀର, କାକୁଡ଼ି, ତାଳସଜ, ମହୁ, ଅଦା, ଘିଅ, ଆଖୁ, ଗଜା ମୁଗ, ସେଓ, ଚିନି ଇତ୍ୟାଦି ପଡ଼ି ଏକ ଚକଟା ପ୍ରସ୍ତୁତ କରାଯାଇଥାଏ । ଏହି ଚକଟାକୁ ଚାନ୍ଦ ଚକଟା କୁହାଯାଏ। ଭୋଗ ପରେ ନିଜ ନିଜ ପ୍ରିୟ ସାଙ୍ଗକୁ ସେହି ଚାନ୍ଦ ଖୁଆଇ ‘ଚାନ୍ଦ’ ବସନ୍ତି। ଆଉ ଟିକେ ରାତି ହେଲେ ଖଇ ଆଣି ଚାନ୍ଦକୁ ସମର୍ପଣ କରନ୍ତି। କୁମାର ପୂର୍ଣ୍ଣିମା ଦିନକୁ ଲକ୍ଷ୍ମୀଙ୍କର ଜନ୍ମଦିନ ରୂପେ ମଧ୍ୟ ପାଳନ କରାଯାଏ। ଗଜଲକ୍ଷ୍ମୀ ପୁଜା ପାଇଁ ଗଡ଼ଅଣ୍ଢିଆ ଗ୍ରାମ ଉତ୍ସବ ମୁଖର ହୋଇପଡ଼ିଛି । ଗ୍ରାମ ମଙ୍ଗଳ ସମିତି ପକ୍ଷରୁ ମାଙ୍କୁ ପୁଜାମଣ୍ଡପରେ ମୃଣୟମୂତ୍ତିକୁ ବିଧିବିଧାନ ଅନୁସାରେ ସ୍ଥାପନ କରାଯାଇ ପୁଜା ଅର୍ଚ୍ଚନା କରାଯାଉଛି। ପୁଜା ଅବସରରେ ୫ ଦିନବ୍ୟାପି ନାଟକ ପ୍ରତିଯୋଗିତା ଅନୁଷ୍ଠିତ ହେଉଛି। ଷଷ୍ଠ ଦିନ ପୁରଷ୍କାର ବିତରଣ ସହ ମେଲୋଡ଼ି କାର୍ୟ୍ୟକ୍ରମ ରହିଛି। ପାଟପୁର , ଅଣ୍ଢିଆ ବେହେରାସାହି ସହିତ ଗ୍ରାମାଁଞ୍ଚଳର ପୁରପଲ୍ଲୀରେ ମା ଗଜଲକ୍ଷ୍ମୀଙ୍କର ପୁଜା ଅର୍ଚ୍ଚନା କରାଯାଉଛି।
